ମଣିଷ
ଗୋଟେ ରାଜ୍ୟରେ ଜଣେ ରାଜା ଥିଲେ ତାଙ୍କ ନାମ ମଧୁସୂଦନ।ସେ ବହୁତ ଦୟାଳୁ ଥିଲେ,କିନ୍ତୁ ତାଙ୍କ ପୁଅ ଆଦିତ୍ୟ ବହୁତ ରାଗି/କ୍ରୋଧି ସ୍ୱଭାବ ର ଥିଲେ।ଛୋଟ ଛୋଟ କଥା ରେ ସେ ରାଗି ଯାଉଥିଲେ ଏବଂ ତାଙ୍କ ସେବକ ମାନଙ୍କୁ ବହୁତ ହଇରାଣ କରୁଥିଲେ, ସେମାନଙ୍କ ନାମ ରେ ମିଛସତ କହି ବିଭିନ୍ନ ପ୍ରକାରର ଦଣ୍ଡ ଦଉଥିଲେ । ଆଦିତ୍ୟ ରାଜକୁମାର ହୋଇଥିବାରୁ କେହିବି ତାଙ୍କ ବିରୁଦ୍ଧ ରେ କିଛି କରିବାକୁ କି କହିବାକୁ ସାହସ କରୁନଥିଲେ । ସେଥିପାଇଁ ଦିନକୁ ଦିନ ରାଜକୁମାର ଙ୍କ ଏ ବଦଗୁଣ ବଢି ବଢି ଚାଲିଥାଏ। ରାଜା ଏ ପାଇଁ ବହୁତ ଚିନ୍ତିତ ଥିଲେ। ଥରେ ଜଣେ ସାଧୁ ତାଙ୍କ ରାଜ୍ୟକୁ ଆସିଥିଲେ, ସେ ବହୁତ ଜ୍ଞାନୀ ଥିଲେ।ରାଜା ଯେତେବେଳେ ସେ ସାଧୁଙ୍କ ବିଷୟରେ ଶୁଣିଲେ ସଙ୍ଗେ ସଙ୍ଗେ କିଛି ସେବକ ଆଉ ରାଜକୁମାର ଆଦିତ୍ୟଙ୍କ ସହ ସାଧୁଙ୍କ ଆଶ୍ରମକୁ ଗଲେ ।
ଆଶ୍ରମରେ ପହଁଚିଲା ପରେ ସେମାନେ ଜାଣିବାକୁ ପାଇଲେ କି ସାଧୁ ପ୍ରବଚନ ଦେବା ପାଇଁ ପାଖ ଗାଁ କୁ ଯାଇଛନ୍ତି, ତେଣୁ ରାଜା ସମସ୍ତଙ୍କୁ ଅପେକ୍ଷା କରିବାକୁ କହିଲେ।ରାଜା ଙ୍କ କଥା ଶୁଣି ରାଜକୁମାର ବିରକ୍ତ ହଇକହିଲେ "ଆମେ ରାଜପରିବାରର ଲୋକ ଆମେ କଣ ପାଇଁ କାହାକୁ ଅପେକ୍ଷା କରିବା ? ତାଙ୍କ କଥା ନସରୁଣୁ ସାଧୁ ମହାରାଜ ଆସି ପହଞ୍ଚିଲେ ତାଙ୍କ ଆଶ୍ରମରେ ।
ସାଧୁଙ୍କୁ ଦେଖି ରାଜା ତାଙ୍କୁ ପ୍ରଣାମ କଲେ।ସାଧୁ ରାଜା ଙ୍କୁ ଆସିବାର କାରଣ ପଚାରିଲେ ? ରାଜା ତାଙ୍କ ପୁଅ ଆଦିତ୍ୟ ଙ୍କ ସବୁକଥା କହିଲେ, ସାଧୁ ଏ କଥା ଶୁଣି ରାଜକୁମାର ଙ୍କୁ ଗୋଟେ ଛୋଟ ପଟା ଦେଲେ ଆଉ କହିଲେ" ତମକୁ ଯେତେବେଳେ ରାଗ ଲାଗିବ ଏଇଠି ଗୋଟେ କଣ୍ଟା ଫୋଡିଦେଵ, ଦିନକୁ ଯେତେଥର ରାଗ ଆସିବ ସେତେଟା କଣ୍ଟା ଫୋଡିବ, ଆଉ ଯେତେବେଳେ ତମେ ତମ ଭୁଲ ବୁଝିବ ସେ କଣ୍ଟାକୁ ବାହାର କରିଦେବ।
ରାଜକୁମାର ଏକଥା ଶୁଣି ସଙ୍ଗେ ସଙ୍ଗେ ରାଗିଗଲେ ଆଉ କହିଲେ "ତମେ ଜଣେ ସାଧାରଣ ସାଧୁ ହଇକି ଜଣେ ରାଜକୁମାର କୁ ଆଦେଶ ଦେବାକୁ ସାହସ କଲ କେମିତି ?" ସାଧୁ ଟିକେ ହସିଦେଲେ ଆଉ କହିଲେ " ମୁଁ ରାଜକୁମାର ଙ୍କୁ ଆଦେଶ ଦଉନି ବରଂ ମୋର ଜଣେ ଦାସୀ ର ଦାସୀ କୁ ଆଦେଶ ଦଉଛି"। ସେଠାରେ ଥିବା ରାଜା କି ସେବକ କି ରାଜକୁମାର କେହି କିଛି ବୁଝିପାରିଲେନି ସେ ସାଧୁ କଣ କହୁଛନ୍ତି।ସାଧୁ କହିଲେ ଏବେ ତମେ ରାଗିଲ ମନେ ସେ ପଟା ରେ ଗୋଟେ କଣ୍ଟା ଲଗାଅ, ତା ପରେ ମୁଁ କହିବି ମୋର ଦାସୀ ର ଦାସୀ କିଏ।ରାଜକୁମାର ମଧ୍ୟ ତାଙ୍କ କଥା ର ଅର୍ଥ ଜାଣିବାକୁ ଉତ୍ସୁକ ଥିଲେ ତେଣୁ ସେ ସଙ୍ଗେ ସଙ୍ଗେ ସେ ପଟା ଗୋଟେ କଣ୍ଟା ଫୋଡିଲେ । କଣ୍ଟା ଫୋଡିଲା ପରେ ସେ ସାଧୁ କହିଲେ ଅନେକ ତପସ୍ୟା ବଳରେ ସେ ରାଗ/କ୍ରୋଧ କୁ ନିଜ କାବୁରେ କରିପାରିଛନ୍ତି, ଅର୍ଥାତ ରାଗ ତାଙ୍କ ଦାସୀ ଆଉ ରାଜକୁମାର ତାଙ୍କ ରାଗ କୁ କାବୁ କରିପାରୁନାହାନ୍ତି,ତେଣୁ ସେ ରାଗ ର ଦାସୀ।ତେଣୁ ସେ ରାଜକୁମାର ଙ୍କୁ କହିଲେ କି ସେ ତାଙ୍କର ଦାସୀ ର ଦାସୀ କୁ ଆଦେଶ ଦେଇଛନ୍ତି।
ସେଦିନ ସେ ସାଧୁ ଙ୍କ କଥା ରାଜକୁମାର ଙ୍କ ମନକୁ ପରିବର୍ତ୍ତନ କରିଦେଲା ସେ ଭାବିଲେ ସାମାନ୍ୟ ରାଗକୁ ସେ କାବୁ କରିପାରୁନାହାନ୍ତି, ତେଣୁ ସେ ମନେ ମନେ ଶପଥ କଲେ ଆଉ କେବେ ରାଗିବେନି,ଆଉ ସଂଗେ ସଂଗେ ସାଧୁଙ୍କ ପଦ ତଳେ ପଡି ତାଙ୍କୁ କ୍ଷମା ପ୍ରାର୍ଥନା କଲେ।ସାଧୁ ତାଙ୍କୁ ଉଠାଇଲେ ଆଉ କହିଲେ "ଏବେ ତମେ ତମ ଭୁଲ ବୁଝି ପରିଛ ଅର୍ଥାତ ଏବେ ସେ କଣ୍ଟା କୁ ସେ ପଟାରୁ ବାହାର କର"। ରାଜକୁମାର ସଙ୍ଗେ ସଙ୍ଗେ ସେ କଣ୍ଟା କୁ ବହାରକଲେ ଏବଂ ସାଧୁଙ୍କୁ କହିଲେ ଏବେ ସେ ତାଙ୍କ ଭୁଲ ବୁଝିପାରୁଛନ୍ତି ଆଉ ଭବିଷ୍ୟତ ରେ କେବେ ଏମିତି ଭୁଲ କରିବେନି ତେଣୁ ଆଉ ତାଙ୍କର ସେ ପଟା ଦରକାର ନାଇଁ ।
ରାଜକୁମାର ଆଦିତ୍ୟ ଙ୍କ କଥା ଶୁଣି ସାଧୁ କହିଲେ"ଏବେ ସେ ପଟା କୁ ଦେଖ ତମେ ଭୁଲ କଲ କଣ୍ଟା ଫୋଡିଲ, ଆଉ ଯେତେବେଳେ ନିଜ ଭୁଲ ବୁଝିଗଲ ସେ କଣ୍ଟାକୁ କାଢିଲ,କିନ୍ତୁ ସେ ପଟା ରେ ଗୋଟେ କଣା ହଇ ଗୋଲା,ୟାର ଅର୍ଥ ଆମେ ଯେତେବେଳେ ଭୁଲ କରି ତାର ପାଇଁ ପ୍ରୟାଶ୍ଚିତ କଲେ ମଧ୍ୟ କିଛି କ୍ଷତି ହୁଏ ।ଯେମିତି ସେ ପଟା ରେ ସବୁଦିନ ଗୋଟେ କଣା ରହିଗଲା।"
ସାଧୁଙ୍କ କଥା ଶୁଣି ରାଜକୁମାର ଙ୍କ ଆଖିରୁ ଲୁହ ବାହାରି ଆସିଲା କାରଣ ସେ ତାଙ୍କ କିଛି ଅତୀତ କଥା ମନେ ପକାଇଲେ ତାଙ୍କ ପାଇଁ କେତେ ସେବକ ବିନା କାରଣରେ ଦଣ୍ଡ ପାଇଛନ୍ତି। ତା ପରେ ରାଜା ଆଉ ତାଙ୍କ ସେବକ ମାନେ ଆଉ ରାଜକୁମାର ସେ ସାଧୁ ଙ୍କୁ ମୁଣ୍ଡିଆ ମାରି ସେଠାରୁ ନିଜ ରାଜପ୍ରାସାଦ କୁ ଫେରିଲେ ।
ରାଜପ୍ରାସାଦ ରେ ପହଞ୍ଚି ରାଜକୁମାର ସେ ସେବକ ମାନଙ୍କ ପାଖକୁ ଯାଇ କରିଥିବା ଭୁଲ ପାଇଁ କ୍ଷମା ପ୍ରାଥନା କଲେ, ରାଜକୁମାରଙ୍କୁ ଭୁଲ ମାଗୁଥିବାର ଦେଖି ମନ୍ତ୍ରୀ ଆଉ ସେନାପତି କହିଲେ ଜଣେ ରାଜକୁମାର ଙ୍କୁ ସାମାନ୍ୟ ସେବକଙ୍କୁ ଭୁଲ ମାଗିବା ଉଚିତ ନୁହେଁ।ସେମାନଙ୍କ କଥା ଶୁଣି ରାଜା କହିଲେ " ଭୁଲ ସବୁବେଳେ ଭୁଲ ସେ ରାଜା କରୁ କି କେହିବି କରୁ, ଆଉ ଭୁଲ ର ଦଣ୍ଡ ନିଶ୍ଚିତ ରହିଛି, ଠିକ ସମୟରେ ବୁଝିଗଲେ କମ କ୍ଷତି ହୁଏ ନହେଲେ ସେ ଭୁଲ ଦିନେ ବଡ ହଇ ଆମର ବଡ କ୍ଷତି କରେ"।
ରାଜଙ୍କ କଥା ଶୁଣି ସେଠାରେ ଥିବା ସମସ୍ତ ଲୋକ କିଛି ସମୟ ସ୍ତବ୍ଧ ହାଇଗଲେ ଆଉ ତା ପରେ ସେ ରାଜଉଆସ ରାଜା ଆଉ ରାଜକୁମାର ଙ୍କ ଜୟ ଜୟକାର ରେ କମ୍ପିଉଠିଲା ।
ଏ ଗପରୁ ଆମେ ଶିଖିଲୁ ଯେ ଚେଷ୍ଟା କରିବା ଜୀଵନ ରେ କେବେ ଜାଣିଶୁଣି କିଛି ଭୁଲ କରିବାନି ଆଉ ଯଦି ଭୁଲ ରେ ଭୁଲ କରୁ ତାହେଲେ ଚେଷ୍ଟା କରିବା ଶିଘ୍ର ତାକୁ ଠିକ କରିବାକୁ । କଥାରେ ଅଛି ଯେ ଭୁଲ କରେନି ସେ ଭଗବାନ, ଯେ ଭୁଲ କରେ ସେ ପଶୁ, ଆଉ ଯେ ଭୁଲ କରେ ଆଉ କେମିତି ତାକୁ ଠିକ କରିବ ସେପାଇଁ ଚେଷ୍ଟା କରେ ସେ ହିଁ ମଣିଷ ।

Comments
Post a Comment